୧୯୮୬ ମସିହା କଥା। ମହାରାଷ୍ଟ୍ର ପ୍ରଦେଶର ଅହମ୍ମଦନଗର ଜିଲ୍ଲା ଅନ୍ତର୍ଗତ ସଙ୍ଗମନର ଠାରେ ‘ଗୀତା ପରିବାର’ ଏକ ପଞ୍ଜିକୃତ ଟ୍ରଷ୍ଟ ଭାବେ ପରମପୂଜ୍ୟ ରାଷ୍ଟ୍ରୀୟ ସନ୍ଥ ସ୍ୱାମୀ ଗୋବିନ୍ଦଦେବ ଗିରିଜୀ ମହାରାଜଙ୍କ ଦ୍ଵାରା ପ୍ରତିଷ୍ଠିତ ହୁଏ । ସ୍ଵାମୀଜୀ ଅଧୂନା ଶ୍ରୀରାମଜନ୍ମଭୂମି ଟ୍ରଷ୍ଟ ର ଟ୍ରଷ୍ଟି ତଥା କୋଷାଧ୍ୟକ୍ଷ ଅଛନ୍ତି । ସେତେବେଳେ ଏହାର ଉଦ୍ଦେଶ୍ୟ ଥିଲା, ଶିଶୁମାନଙ୍କ ମଧ୍ୟରେ ନୈତିକ ଶିକ୍ଷା (value education)ର ପ୍ରଚାର ଓ ପ୍ରସାର।
ପରବର୍ତ୍ତୀ ସମୟରେ ଏହି ଉଦ୍ଦେଶ୍ୟ ସାଧନ ନିମନ୍ତେ ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ସୃଷ୍ଟି ହେଲା। ଭଗବଦ୍ଭକ୍ତି, ଭଗବଦ୍ଗୀତା, ଭାରତମାତା, ବିଜ୍ଞାନ ଦୃଷ୍ଟି ଓ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ– ଏହି ପାଞ୍ଚଗୋଟି ସୂତ୍ରକୁ ଆଧାର କରି କୁନିକୁନି ପିଲାମାନଙ୍କ ମନରେ ସନାତନ ଧର୍ମର ମୌଳିକ ଆଦର୍ଶ ଓ କାର୍ଯ୍ୟକାରିତା ପ୍ରତି ଆକୃଷ୍ଟ କରିବା ପାଇଁ ଚେଷ୍ଟା କରାଗଲା । ଛାତ୍ରଛାତ୍ରୀମାନଙ୍କୁ ନିଜର ସଂସ୍କୃତି ସମ୍ପର୍କରେ ସୂଚନାଦେବା, ସଂସ୍କାର ଶିବିର ତଥା ସଂସ୍କାରବର୍ଗ ଶ୍ରେଣୀ ମାଧ୍ୟମରେ ଏହି ମୌଳିକ ଆଦର୍ଶକୁ ପୁର୍ନଜୀବିତ କରିବା, ଆବଶ୍ୟକ ସ୍ଥଳେ ଭିଡିଓ (Video), ଅଡିଓ (audio) ଆଦି ବୈଜ୍ଞାନିକ ଉପକରଣଗୁଡିକର ସାହାଯ୍ୟ ନେବା, ଭାରତୀୟ ସଂସ୍କୃତି ତଥା ଜୀବନଶୈଳୀ ପ୍ରତି ଆକୃଷ୍ଟ କରିବା, ନିଜକୁ ସ୍ଵାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ କରିବାକୁ ପ୍ରେରଣା ଦେବା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଥିଲା।
ଦେଶମାତୃକା ପ୍ରତି ଜୀବନ ଉତ୍ସର୍ଗ କରିବା, ମାତୃଭୂମିର ସେବା କରିବା, ଭଗବଦ୍ କୃପା ଲାଭ କରି ଉତ୍ତମ ମନୁଷ୍ୟ ସୃଷ୍ଟି କରିବା ପାଇଁ ପଦକ୍ଷେପ ନିଆଯାଇଥିଲା।
ଆନ୍ତର୍ଜାତିକ ପରିସ୍ଥିତି, ଭାରତର ସ୍ଥିତି, କାଳର କରାଳ ଗତି, ବିଜ୍ଞାନର ଉତ୍କର୍ଷତା ଓ ଆଧୁନିକତାର ପ୍ରଭାବ ‘ଗୀତା ପରିବାର’କୁ ଏକ ଚଳନଶୀଳ ସାତ୍ତ୍ଵିକ ଅନୁଷ୍ଠାନରେ ପରିଣତ କରାଇଲା। ପଞ୍ଚସୂତ୍ରୀ କାର୍ଯ୍ୟକ୍ରମକୁ ପାଥେୟ କରି ଭାରତୀୟ ମାନଙ୍କୁ ଲୁପ୍ତ ଆଦର୍ଶରେ ଅନୁପ୍ରାଣିତ କରି, ଆବାଳ ବୃଦ୍ଧବନିତାଙ୍କ ମାନସପଟରେ ଦେଶପ୍ରେମ ଜାଗ୍ରତ କରି, ସନାତନଧର୍ମର ନୀତିକୁ ପୁନର୍ଜୀବିତ କରିବା ନିମନ୍ତେ ଦୁଇଟି ମୁଖ୍ୟ କାର୍ଯ୍ୟକ୍ରମକୁ ‘ଗୀତା ପରିବାର’ ଆପଣେଇଛି।
‘ଲର୍ନ ଗୀତା’ (Learn Gita) ଓ ‘ବାଳ ସଂସ୍କାର’– ଏହି ଦୁଇଟି ମୁଖ୍ୟ କାର୍ଯ୍ୟକ୍ରମରେ ପରମପୂଜ୍ୟ ସ୍ୱାମୀଜୀଙ୍କ ମୁଖ ନିଃସୃତ ପ୍ରେରଣା ‘ଗୀତା ପଢ଼, ପଢ଼ାଅ, ଜୀବନରେ ଆପଣାଅ’ ଓ ‘ଘରେ ଘରେ ଗୀତା, କରେ କରେ ଗୀତା’କୁ ଆଗେଇ ନେବା ପାଇଁ ପ୍ରତ୍ୟେକ ଗୀତାସେବୀ ପ୍ରତିଶ୍ରୁତିବଦ୍ଧ। ଆଜି ଦଶଲକ୍ଷରୁ ଅଧିକ ଗୀତାସେବୀ ଏହି ପ୍ରେରଣାରେ ଉଦ୍ବୁଦ୍ଧ ହୋଇ ନିଜକୁ ଭଗବତ୍ ପ୍ରେମ, ଭଗବଦ୍ଭକ୍ତି ଓ ଭାରତ ମାତାଙ୍କ ସେବାରେ ନିୟୋଜିତ କରିବାକୁ ଆଗେଇ ଆସିଛନ୍ତି।
‘ଲର୍ନ ଗୀତା’ ଓ ‘ବାଳ ସଂସ୍କାର’ କାର୍ଯ୍ୟକ୍ରମ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ସଦୃଶ । ଏହି ଉଭୟ କାର୍ଯ୍ୟକ୍ରମ ଆଲୋକବର୍ତ୍ତିକା ସଦୃଶ ‘ଗୀତା ପରିବାର’କୁ ଆଲୋକିତ କରି ପ୍ରତ୍ୟେକ ପରିବାରକୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଆକୃଷ୍ଟ କରୁଛି।
ପରମପୂଜ୍ୟ ସ୍ଵାମୀଜୀଙ୍କ ଆଶୀର୍ବାଦ ନେଇ ଓଡ଼ିଶା ଗୀତା ପରିବାର ର ‘ଘରେ ଘରେ ଗୀତା, କରେ କରେ ଗୀତା’ ଲକ୍ଷ୍ୟ ହାସଲ ନିମନ୍ତେ ଏକ କ୍ଷୁଦ୍ର ତଥା ଅଦ୍ଭୁତ ପରିଯୋଜନା ‘ଗୀତା ଗ୍ରାମ’ ସୃଷ୍ଟି ପାଇଁ ପଦକ୍ଷେପ ନେଇଛି। ଓଡ଼ିଶା ଶାଖା ଆନୁଷ୍ଠାନିକ ଭାବେ ଗଠିତ ହେବାର ମାତ୍ର ଏକବର୍ଷ ମଧ୍ୟରେ ‘ଗୀତା ଗ୍ରାମ’ ଗଠନ ଚିନ୍ତାଧାରା ସମ୍ପୃକ୍ତ ଗୀତାସେବୀମାନଙ୍କୁ ଉଦ୍ବୁଦ୍ଧ କରିଛି। ଏକ ନିର୍ଦ୍ଦିଷ୍ଟ ପରିସୀମା ମଧ୍ୟରେ ନିର୍ଦ୍ଦିଷ୍ଟ ନାମକରଣ ଥାଇ ବସବାସ କରୁଥିବା ଏକଶତ ବା ତଦୁର୍ଦ୍ଧ୍ୱ ପରିବାର ‘ଗୀତା ପରିବାର’ କାର୍ଯ୍ୟକ୍ରମ ପରିସରଭୁକ୍ତ ହୋଇ ଅନୁବନ୍ଧିତ ହେଲେ ବା ପଞ୍ଚସୂତ୍ରୀ କାର୍ଯ୍ୟକ୍ରମକୁ ଆପଣେଇନେଲେ ସଂପୃକ୍ତ ଅଞ୍ଚଳ, ପଡା,ଗ୍ରାମ,ମହଲା ବା ବାସସ୍ଥଳୀକୁ ‘ଗୀତା ଗ୍ରାମ’ ଘୋଷଣା କରାଯାଇଥାଏ। ଏଥି ନିମନ୍ତେ ଅନ୍ତତଃ ଦୁଇ କିମ୍ବା ତିନି ଜଣ ଗୀତାସେବୀ ଏକତ୍ରିତ ହୋଇ ଯୋଜନାବଦ୍ଧ ଭାବେ, ଏକକ ମାନସିକତା ନେଇ ଘରକୁ ଘର ବୁଲି ସମ୍ପୃକ୍ତ ପରିବାରକୁ ‘ଗୀତା ପରିବାର’ର ଚିନ୍ତାଧାରାରେ ପ୍ରବର୍ତ୍ତାଇଥାନ୍ତି। ଏଥିନିମନ୍ତେ ଅଧିବାସୀମାନଙ୍କ ଦ୍ବାରା ଗଠିତ ଉନ୍ନୟନ ସମିତି, ମହିଳା ସଂଗଠନ, ସ୍ଵୟଂ ସେବକ ଗୋଷ୍ଠୀ, ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟକର୍ତ୍ତାମାନଙ୍କ ସାହାଯ୍ୟ, ସହଯୋଗ ନିଆଯାଇପାରେ ।
‘ଗୀତା ପରିବାର’ ବୈଦିକ ରୀତିରେ ‘ଅନ୍ଲାଇନ୍’ (online) ‘ଅଫ୍ଲାଇନ୍’ (offline) ଶ୍ରେଣୀ ମାଧ୍ୟମରେ ସ୍ୱେଚ୍ଛାସେବୀ ପ୍ରଶିକ୍ଷକମାନଙ୍କ ମାଧ୍ୟମରେ ଭଗବଦ୍ଗୀତାର ଶୁଦ୍ଧ ଉଚ୍ଚାରଣ ଶିକ୍ଷା ଦେଇଥାନ୍ତି। ଏତଦ୍ବ୍ୟତୀତ ବାଳ ସଂସ୍କାର କେନ୍ଦ୍ର ମାଧ୍ୟମରେ ଶିଶୁ ଓ ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରିଥାନ୍ତି । ଏହାଦ୍ଵାରା ସେମାନଙ୍କର ବୌଦ୍ଧିକ ବିକାଶ, କର୍ତ୍ତବ୍ୟନିଷ୍ଠା, ଯୋଗ-ପ୍ରାଣାୟମ ଅଭ୍ୟାସ ତଥା ଭଗବଦ୍ ଚିନ୍ତାଧାରାରେ ଉନ୍ନତି ହୋଇଥାଏ।
ଓଡ଼ିଶା ଗୀତାପରିବାରର ଗୀତାସେବୀମାନଙ୍କ ‘ଗୀତା ଗ୍ରାମ’ ଗଠନ ଚିନ୍ତାଧାରା ପୂଜ୍ୟପାଦ ସ୍ଵାମୀଜୀଙ୍କ ଦ୍ଵାରା ବିଶେଷ ଆଦୃତ ହୋଇଅଛି। ଗତ ଅଗଷ୍ଟ ୨୦୨୪ରେ ଅନୁଷ୍ଠିତ ଓଡ଼ିଶା ଗୀତା ପରିବାରର ଦ୍ଵିତୀୟ ମୈତ୍ରୀମିଳନ ଅବସରରେ ପୂଜ୍ୟ ସ୍ଵାମୀଜୀ ତାଙ୍କର ଆଶୀର୍ବଚନ ମାଧ୍ୟମରେ ଏହି ଚିନ୍ତାଧାରାକୁ ପ୍ରଶଂସା କରି ଏହାର ଅଧିକରୁ ଅଧିକ ପ୍ରସାର ନିମନ୍ତେ ପ୍ରେରଣା ପ୍ରଦାନ କରିଛନ୍ତି । ପୂଜ୍ୟ ସ୍ୱାମୀଜୀଙ୍କ ଆଶୀର୍ବଚନର କେତେକ ଅଂଶର ଓଡ଼ିଆ ଅନୁବାଦ ନିମ୍ନରେ ପ୍ରଦାନ କରାଗଲା।
” ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ।
ଆଜି ମୁଁ ବହୁତ ଖୁସି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଭୂମି ଓଡ଼ିଶା ରାଜ୍ୟରେ ସୁନ୍ଦର ଗୀତା ମୈତ୍ରୀମିଳନ ଦ୍ବିତୀୟ ଥର ଅନୁଷ୍ଠିତ ହେବାକୁ ଯାଉଅଛି । ପ୍ରଥମ ଥର ଡ: ଆଶୁ ଭାଇ ଗୀତା ମୈତ୍ରୀମିଳନର ସଞ୍ଚାଳନ କରିଥିଲେ। ବର୍ତ୍ତମାନ ଡ: ସଞ୍ଜୟ ମାଲପାଣି ସଂଚାଳନ କରୁଛନ୍ତି । ଓଡ଼ିଶା ଗୀତା ପରିବାର ବିଷୟରେ ଯେବେଯେବେ ମୁଁ କିଛି ଶୁଣେ ମୋର ମନ ପ୍ରଫୁଲ୍ଲିତ ହୋଇଉଠେ। ମୁଁ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି ଯେ, ଆପଣମାନେ ଗୀତା ଗ୍ରାମ ଗଠନ କରିଛନ୍ତି ଓ ଏକ ବସ୍ତି କରିଛନ୍ତି ଯେଉଁଠି ପ୍ରତିଦିନ ଗୀତା ପାଠ କରାଯାଉଛି। ପ୍ରମୋଦ କୁମାର ମହାନ୍ତି ଜୀ ଏହାକୁ ଏକ ସୁନ୍ଦର ଯୋଜନାବଦ୍ଧ ରୂପରେ ବିସ୍ତାର କରୁଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ପ୍ରେରଣା ଦାୟକ । ସମସ୍ତେ ଭଗବାନ ଜଗନ୍ନାଥଙ୍କ ଛତ୍ରଛାୟାରେ ରହି, ତାଙ୍କ ସେବାରେ ସବୁଠାରୁ ଉତ୍ତମ କର୍ମରେ ଲାଗିଛନ୍ତି । ଜଗନ୍ନାଥ ସ୍ବୟଂ ଶ୍ରୀକୃଷ୍ଣ। ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, ଯେଉଁ ଭକ୍ତ ଗୀତା ପଢ଼ିବ, ଅନ୍ୟମାନଙ୍କୁ ପଢ଼ାଇବ ଏବଂ ଗୀତାକୁ ଜୀବନରେ ପ୍ରୟୋଗ କରିବା ପାଇଁ ସଚ୍ଚୋଟତାର ସହ ଚେଷ୍ଟା କରେ, ସେ ମୋର ପ୍ରିୟ ।
ଆମେ ଏହି କାର୍ଯ୍ୟକୁ ଗୀତା ପରିବାର ଦ୍ୱାରା ୧୮୨ ଦେଶରେ କରୁଅଛୁ। କିନ୍ତୁ ଓଡ଼ିଶାର ଭାଇ ଏବଂ ଭଉଣୀମାନେ ଯେଉଁ ଦୃଷ୍ଟାନ୍ତ ଉପସ୍ଥାପନ କରିଛନ୍ତି ତାହା ଅତ୍ୟନ୍ତ ବିରଳ।
ମୁଁ ପରମପିତା ପରମାତ୍ମାଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ଆପଣମାନଙ୍କଠାରୁ ପ୍ରେରଣା ନେଇ ସମସ୍ତ ସ୍ଥାନରେ ଏହିପରି ଗୀତା ଗ୍ରାମ ଗଠନ ହେଉ ଏବଂ ସମସ୍ତେ ନିରବଚ୍ଛିନ୍ନଭାବେ ଭାବେ ଗୀତା ପଢ଼ିବା ସଙ୍ଗେ ସଙ୍ଗେ ନିଜର ଜୀବନକୁ ଗୀତା ଜ୍ଞାନାଲୋକ ରେ ପ୍ରକାଶିତ କରନ୍ତୁ, କାରଣ ଗୀତା ହେଉଛି ଆମ ସଂପୂର୍ଣ୍ଣ ଜୀବନର ନିୟମାବଳୀ ପୁସ୍ତକ। ଜୀବନକୁ କିପରି ଜୀଇଁବା ତା’ର ସୁନ୍ଦର ପଥ ପ୍ରଦର୍ଶିକା ଭଗବଦ୍ ଗୀତାରେ ଦିଆଯାଇଛି।”
ପରମପୂଜ୍ୟ ସ୍ୱାମୀ ଶ୍ରୀ ଗୋବିନ୍ଦଦେବ ଗିରି ଜୀ ଙ୍କର ଉପରୋକ୍ତ ଆଶୀର୍ବଚନକୁ ପାଥେୟ କରି ଓଡ଼ିଶା ଗୀତା ପରିବାର କୁ ଆଗେଇ ନେବା ପାଇଁ ମୁଁ ସମସ୍ତ ଗୀତାପ୍ରେମୀ ଓ ସେବୀମାନଙ୍କୁ ଅନୁରୋଧ କରୁଛି। ଏହାଦ୍ଵାରା ଗୀତା ପରିବାରର ଲକ୍ଷ୍ୟ ‘ଘରେ ଘରେ ଗୀତା, କରେ କରେ ଗୀତା’ ସାଧିତ ହୋଇପାରିବ।
ଶ୍ରୀ ପ୍ରମୋଦ କୁମାର ମହାନ୍ତି
ଭୁବନେଶ୍ୱର(ଓଡ଼ିଶା)